୩ଦିନ ରାଜ୍ୟର କିଛି ଜିଲ୍ଲାରେ ଘନକୁହୁଡ଼ିର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାତିର ସର୍ବନିମ୍ନ ତାପମାତ୍ରାରେ ଉନ୍ନତି ଆସି ନ ଥିବାରୁ ରାଜ୍ୟରେ ଥଣ୍ଡା ଜାରି ରହିଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ରେକର୍ଡ ହୋଇଛି। ଆଗକୁ ଥଣ୍ଡା ସାମାନ୍ୟ କମିପାରେ। ମାତ୍ର ମଧ୍ୟ-ଭାରତରେ ସକ୍ରିୟ ଗୁରୁଚାପ ବଳୟ ବର୍ତ୍ତମାନ ପୂର୍ବାମୁହାଁ ହୋଇ ଓଡ଼ିଶା ଉପରେ କାୟା ବିସ୍ତାର କରିଥିବାରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ସହ ଶୀତ କମିବ। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଆଗାମୀ ୩ଦିନ ରାଜ୍ୟର କିଛି ଜିଲ୍ଲାରେ ଘନକୁହୁଡ଼ିର ସମ୍ଭାବନା ରହିଛି। ଉପକୂଳ ସମେତ ଉପାନ୍ତ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ତାରିଖ ରାତିରୁ ୧୪ ତାରିଖ ସକାଳ ସୁଦ୍ଧା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଗଜପତି, ମୟୂରଭଞ୍ଜରେ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ପରବର୍ତ୍ତୀ ୨୪ ଘଣ୍ଟା ତଥା ୧୫ ତାରିଖ ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ସାଙ୍ଗକୁ ବୌଦ୍ଧ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଅଧିକ ରହିଛି।