ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ନେବାକୁ ଚାଲିଛି ଯୋଜନା !

ନୂଆଦିଲ୍ଲୀ,୨୦/୦୯: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ମାଲିକାନା ପରିବର୍ତ୍ତନ ନୂଆ ନୂଆ ପରିବର୍ତନ ଦେଖିବାକୁ ମିଳୁଛି । ଯେମିତିକି ନିକଟରେ ଲୋଗୋ ପରିବର୍ତ୍ତନ କରାଯାଇଛି । ଏବେ ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଖବର ଆସିଛି । ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ନିଜେ ଏଲନ୍ ମସ୍କ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ଏକ୍ସ ପ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର ସମାଧାନ ପାଇଁ ଏଭଳି କରିବା ନିହାତି ଜରୁରୀ । ହେଲେ କେବେ ଠାରୁ ଓ ମାସିକ କେତେ ଟଙ୍କା ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ସେନେଇ ମସ୍କ କିଛି ସ୍ପଷ୍ଟ କରିନାହାଁନ୍ତି । ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ରାନ୍ୟାହୁଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ପ୍ଲାଟଫର୍ମରେ ବୋଟସଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବୋଟସ୍ ଅର୍ଥାତ ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ମାସିକ ଦେୟ ଆଦାୟ କରିବା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ମସ୍କ କହିଛନ୍ତି କି ଏକ୍ସ ପ୍ଲାଟଫର୍ମରେ ବର୍ତମାନ ୫୫ କୋଟି ବ୍ୟବହାରକାରୀ ଅଛନ୍ତି । ଏମାନେ ମୋଟ ୧୦୦-୨୦୦ ମିଲିୟନ ପୋଷ୍ଟ କରୁଛନ୍ତି ।ସୂଚନା ଥାଉକି ଗତବର୍ଷ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ ଅଧିଗ୍ରହଣ କରିଥିଲେ ଏଲନ୍ ମସ୍କ ।