କମୁଛି ତାପମାତ୍ରା ବଢୁଛି ଥଣ୍ଡା, ପାଗ କୋହଲା ରହିବା ସହ ବର୍ଷା ସମ୍ଭାବନା !

ଭୁବନେଶ୍ୱର, ୨୯/୧୦: ରାଜ୍ୟରୁ ସମ୍ପୂର୍ଣ୍ଣ ରୂପେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଏହାରିମଧ୍ୟରେ ଆଜି ମୂଖ୍ୟତଃ ରାଜ୍ୟରେ ପାଗ କୋହଲା ଓ ମେଘୁଆ ରହିବ । ଗତକାଲି କେତେକ ସ୍ଥାନରେ ହାଲୁକା ବର୍ଷା ବି ହୋଇଛି । ସେହିପରି ଆଜି ମଧ୍ୟ ଏମିତି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶ୍ରୀଲଙ୍କା ଉପକୂଳରେ ଥିବା ଲଘୁଚାପ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ରହିଛି । ଏହା ପ୍ରଭାବରେ ପାଗ କୋହଲା ରହୁଛି । ଏମିତି ପାଗ ଦିନେ ଦୁଇଦିନ ରହିବ । ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ । ୩୦ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତିରେ ହାଲୁକା ବର୍ଷା ଛିଞ୍ଚିବା ସମ୍ଭାବନା ଅଛି । ୩୧ ଓ ୧ରେ ବି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ବର୍ଷା ହେବାର ଆଶଙ୍କା ରହିଛି ।