୩ ଦିନ ପରେ ଖସିବ ତାପମାତ୍ରା, ବଢିବ ଶୀତ

ଭୁବନେଶ୍ବର,୧୨/୧୨ : ରାଜ୍ୟରେ ଆଜି ଶୀତ ଟିକେ କମ ଅଛି । ୩ ଦିନ ପରେ ପୁଣି ପାରଦ ଖସିବ ଓ ଶୀତ ବଢ଼ିବ। ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଯାଇଛି। ତେଣୁ ଶୀତ କମିଛି। ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ। ତାପମାତ୍ରା ପାଖାପାଖି ୩ ଡିଗ୍ରି ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ମାଣ୍ଡୋସ୍‌ ରବିବାର ଦିନ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ଆସନ୍ତା ୧୩ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇଯିବ। ତେଣୁ ଓଡ଼ିଶା କିମ୍ବା ଭାରତ ଉପ‌ରେ ଏହାର ପ୍ରଭାବ ପଡ଼ିବ ନାହିଁ।