ଆହୁରି ଦୁଇ ଦିନ ଏମିତି ରହିବ ଶୀତ ଲହରୀ

ଭୁବନେଶ୍ୱର,୯/୧: ଜାଡରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ଏମିତି ରହିବ ଶୀତ ଲହରୀ । ପ୍ରବଳ ଥଣ୍ଡା ପାଇଁ ଆଜି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଳି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ମଧ୍ୟ କନ୍ଧମାଳର ଦାରିଙ୍ଗବାଡି ଓ ସୁନ୍ଦରଗଡ଼ କୋଇଡାରେ ତୁଷାରପାତ ହୋଇଛି । ଗତକାଲି ସିମିଳିଗୁଡ଼ାରେ ରାତି ତାପମାତ୍ରା ୨ ଡିଗ୍ରୀକୁ ଖସି ଆସିଥିଲା । ଗତ ଦୁଇ ଦିନ ହେବ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଥିଲା । ରାଜ୍ୟର ୨୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପାମାତ୍ରା ୧୦ ଦଶମିକ ୫ ଡିଗ୍ରୀକୁ ଖସି ଯାଇଥିବା ବେଳେ କଟକରେ ରାତି ତାପମାତ୍ରା ୧୧ ଦଶମିକ ୫ ରେକର୍ଡ କରାଯାଇଥିଲା ।