ରାଜ୍ୟରୁ ଶୀତ ଫେରିଯିବ ଓ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୧୭/୨: ରାଜ୍ୟରେ ଗତକାଲି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଆଜି କୁହୁଡ଼ିର ପରିମାଣ କମିବ। ଏଥିସହ ଧୀରେଧୀରେ ରାତି ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ ଓ ରାଜ୍ୟରୁ ଶୀତ ଫେରିଯିବ। ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିରେ ୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୯ ଡିଗ୍ରି ରେକର୍ଡ ହୋଇଛି। ଏହି ତାପମାତ୍ରା ଆସନ୍ତା ୩ରୁ ୪ ଦିନରେ ଆହୁରି ବଢ଼ିବ ଓ ଶୀତ କମିବ। କଟକର ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରି ରେକର୍ଡ ହୋଇଥିବା‌ ବେଳେ ଭୁବନେଶ୍ବରର ରହିଥିଲା ୧୬.୬ ଡିଗ୍ରି।ଅନ୍ୟପଟେ ଗତ କିଛି ଦିନ ତଳେ ରାଜ୍ୟର ତାପମାତ୍ରା ଖୁବ୍‌ ଅଧିକ ରହିଥିବା‌ ବେଳେ କୁହୁଡ଼ି କାରଣରୁ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିଛି ଓ ଦିନର ସର୍ବୋଚ୍ଚ ତାପମାତ୍ରା କିଛି ମାତ୍ରାରେ କମିଛି। ରାଜ୍ୟରେ ଦୁଇ ଦିନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ବାୟୁମଣ୍ଡଳ ଆର୍ଦ୍ର ରହିବ ଓ ତାପମାତ୍ରା କିଛି କମ୍‌ ରହିବ। ଆଜି ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ।