ରାଜଧାନୀରେ ପାରଦ ଛୁଇଁପାରେ ୪୬ଡିଗ୍ରୀ, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮/୦୪: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି। ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।ଗତ ୨୪ ଘଂଟାରେ ଟ୍ୱିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୧୪ଟି ସହରର ତାପମାତ୍ରା । ଆଗାମୀ ୨ରୁ ୩ଦିନ ମଧ୍ୟରେ ତାପାମାତ୍ରାରେ ଆହୁରି ବୃଦ୍ଧି ଘଟିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ଏଭଳି ହେଲେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀ ମଧ୍ୟ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ଓ କଟକ ସହର ସମେତ ୧୩ଟି ସହର ପାଇଁ ରେଡ୍ ଏବଂ ୧୫ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।