ଭୁବନେଶ୍ୱର,୨୫/୦୩: ଆଜିଠୁ କମିବ କାଳବୈଶାଖୀ ପ୍ରକୋପ। ରାଜ୍ୟରେ ପୁଣି ବଢିବ ତାପମାତ୍ରା। ପୁଣିଥରେ ତାତି ଅସ୍ତବ୍ୟସ୍ତ କରିବ ଜନଜୀବନ । ଆସନ୍ତା ତିନିଦିନ ଭିତରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନ ଭିତରେ ପୁଣି ତାପାମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା । ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ । କିନ୍ତୁ ଆଜିଠୁ ପୁଣି ତାପମାତ୍ରା ବଢିବା ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।