ଛତ୍ରପୁରରେ ପ୍ରଚାର ସହ ବିରୋଧୀ ଉପରେ ବର୍ଷିଲେ ଭି.କେ.ପାଣ୍ଡିଆନ

ଭୁବନେଶ୍ୱର,୧/୦୫: ଗଞ୍ଜାମର ଛତ୍ରପୁର ଗସ୍ତ କରି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଜୟ ଜଗନ୍ନାଥ ଏବଂ ଜୟ ମା ତାରା ତାରିଣୀ କହି ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ସମ୍ପର୍କ ବହୁ ପୁରୁଣା ବୋଲି ସେ କହିଥିଲେ । ଏଥିସହ ଜିଲ୍ଲାପାଳ ଥିବା ସମୟରେ କେମିତି ସେ ଗଞ୍ଜାମକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଚେଷ୍ଟା କରିଥିଲେ, ସେ ସମ୍ପର୍କରେ କହିଥିଲେ ଭିକେ ପାଣ୍ଡିଆନ୍ ।  ବିରୋଧୀଙ୍କ ଉପରେ ଟାର୍ଗେଟ କରି ପାଣ୍ଡିଆନ୍ କହିଥିଲେ, କିଛି ଲୋକ କେବଳ ବଡ ବଡ କଥା କହି ପଳେଇବେ । ହେଲେ ମୁଁ ଆସିଲେ ହିସାବ ନେଇକି ଆସେ । ଏଥିସହ ଗଞ୍ଜାମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଅନେକ ଯୋଜନା ସମ୍ପର୍କରେ ଖୋଲାମଞ୍ଚରେ ସୂଚନା ଦେଇଥିଲେ ପାଣ୍ଡିଆନ୍ । ସେହିପରି କିଛି ଲୋକ କେବଳ ଡବଲ ଇଞ୍ଜିନ୍ ବୋଲି ପାଟି କରୁଛନ୍ତି । ହେଲେ ନବୀନ ଇଞ୍ଜିନ୍ ହେଉଛି ସ୍ୱଚ୍ଛତାର ଇଞ୍ଜିନ ଏବଂ ଲୋକଙ୍କ ସେବା କରିବାର ଇଞ୍ଜିନ ।ଗଞ୍ଜାମବାସୀ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ଭରସା କରିବା ସହିତ ଯୋଡି ଶଙ୍ଖକୁ ଭୋଟ୍ ଦେବେ ବୋଲି ତାଙ୍କର ବିଶ୍ୱାସ ଥିବା କହିଥିଲେ ଭିକେ ପାଣ୍ଡିଆନ୍ ।