ପାଲଲହଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପାଣ୍ଡିଆନ, ଆଉ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ..କେମିତି ନିଦ ଆସୁଛି

ଭୁବନେଶ୍ୱର,୧୩/୦୫: ପାଲଲହଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ପାଲଲହଡା ମାଟିର ପ୍ରତି ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ । କିନ୍ତୁ ସେମିତି କିଛି ହେଲାନି । ନିଜେ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, କିନ୍ତୁ ଅଞ୍ଚଳର ପିଲାଙ୍କୁ ଦକ୍ଷ କରିବାକୁ ଦକ୍ଷତା ବିକାଶ କେନ୍ଦ୍ର ଖୋଲିନାହାନ୍ତି । ଏନଏଚ୍-୫୫ ରାସ୍ତା ଶେଷ କରିପାରିଲେନି । ଏହା ହେଉଛି ଏହି ମାଟିରେ ଜନ୍ମ ନେଇ ଏ ଅଞ୍ଚଳକୁ ଭୁଲି ଯାଇଥିବା ଜଣେ ବ୍ୟକ୍ତିଙ୍କ ପରିଚୟ । ନିଜ ବ୍ଲକ, ନିଜ ଅଞ୍ଚଳ, ନିଜ ଗାଁରେ ଯଦି କିଛି କରିବେନି ତେବେ କେମିତି ତାଙ୍କୁ ନିଦ ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ନିଜ ଗାଁ ସ୍କୁଲକୁ ଯାଇ ଦେଖନ୍ତୁ ସେଠାରେ ବ୍ଲାକବୋର୍ଡ ଅଛି ନା ଡିଜିଟାଲ ବୋର୍ଡ ଅଛି । ଯେହେତୁ ନିଜ ଜନ୍ମମାଟିରେ କିଛି କଲେନି, ନିଜ ଜନ୍ମମାଟି ପାଇଁ କିଛି କରିନାହାନ୍ତି ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ତାଙ୍କୁ ଲୋକେ ଉଚିତ୍ ଜବାବ ଦେଇଛନ୍ତି । ସେଥିପାଇଁ ଢେଙ୍କାନାଳ ଛାଡି ସମ୍ବଲପୁର ପଳାଇଲେ । ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଯେଉଁଭଳି ଅସମ୍ମାନ କରୁଛନ୍ତି ତାହା ଦୁଃଖଦାୟକ । ନିଜ ଅଞ୍ଚଳର ବିକାଶ ପାଇଁ କିଛି କରିନଥିବା କେନ୍ଦ୍ରମନ୍ତ୍ରୀଙ୍କର କେମିତି ସାହସ ହେଲା ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପାଲଲହଡାବାସୀ ଓ ଓଡ଼ିଶାବାସୀ କ୍ଷମା ଦେବେନି ।