ନିମାପଡାରେ ପରକାହର କଲେ ଭି.କେ ପାଣ୍ଡିଆନ, କହିଲେ ବିରୋଧୀଙ୍କ ମୁଣ୍ଡ କାମ କରୁନି

ଭୁବନେଶ୍ୱର,୨୩/୦୫: ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡିର ନେତା ଭି.କେ ପାଣ୍ଡିଆନ୍ । ସଭାମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। କହିଲେ, ଏତେ ବଡ ଜନ ସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଇଥିବ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି । ବାହାରୁ ବଡ ବଡ ନେତାଙ୍କୁ ଆସୁଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ମୁଁ ଶୁଣିବାକୁ ପାଇଲି ବିଜେପିର ନେତାମାନେ ଧମକ ଦେଉଛନ୍ତି, ଆମର ସରକାର ଆସୁଛି, ଆମେ ଆପଣଙ୍କୁ ହଇରାଣ କରିବୁ । ବିଲ୍ ପାସ୍ କରିବାକୁ ଦେବୁନି ବୋଲି ଧମକ ଦେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିରେ ବିଶ୍ୱାସ କରନ୍ତି । ଆମର କେହି କିଛି କରିପାରିବେ ନାହିଁ । ମୁଁ ଦୃଢ ଆତ୍ମ ବିଶ୍ୱାସର ସହ କହିବି, ଝଗଡା କରନ୍ତୁ ନାହିଁ, ଭଲ ହେବ ନାହିଁ । ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ । ଓଡିଶାକୁ ଆସି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ନଦେଇ ଓଡିଶା ସଂସ୍କାର ଶିଖିକି ଯାଆନ୍ତୁ ବୋଲି ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଜନସଭାକୁ ସମ୍ବୋଧନ କରି ଭିକେ ପାଣ୍ଡିଆନ୍ କହିଛନ୍ତି, ଜୁନ୍ ୯ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ । ଯୋଡି ଶଙ୍ଖରେ ଭୋଟ୍ ଦେଇ ବିଜେଡିକୁ ବିଜୟ କରିବା ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି ଭିକେ ପାଣ୍ଡିଆନ ।