କୃଷ୍ଣପ୍ରସାଦରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ବିରୋଧୀ କଲେ ଟାର୍ଗେଟ

ଭୁବନେଶ୍ୱର,୧୮/୦୫: କୃଷ୍ଣପ୍ରସାଦରେ ଆଜି ବିଜେଡି ନେତାଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିରୋଧୀକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କିଛି ନେତା ଏବେ ଆସି କହୁଛନ୍ତି ଚିଲିକାରେ ସେତୁ କରିବେ । ୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଚିଲିକା ଉପରେ ସେତୁ କରିବାକୁ କହିଥିଲେ । କିନ୍ତୁ ଏଯାଏଁ ଚିଲିକା ଉପରେ ସେତୁଟିଏ ହୋଇପାରିଲାନି । ସେହିଭଳି ୨୦୨୩ରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି, ଚିଲିକା ଉପରେ ସେତୁ ହୋଇପାରିବନି । କିନ୍ତୁ ଏବେ ବିଜେପି ନେତା କହୁଛନ୍ତି ଚିଲିକା ଉପରେ ସେତୁ ହେବ । ବ୍ରହ୍ମଗିରିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ନେତା । ଚିଲିକା ଉପରେ କେବଳ ନବୀନ ହିଁ ସେତୁ ନିର୍ମାଣ କରିପାରିବେ । ମହାନଦୀ ଉପରେ ୭ଟି ସେତୁ, ବୈତରଣୀ ଉପରେ ୫ଟି, ବ୍ରାହ୍ମଣୀ ଉପରେ ସେତୁ ନିର୍ମାଣ ହୋଇଛି । ନକ୍ସଲ ପ୍ରଭାବିତ ମାଲକାନଗିରିରେ ମଧ୍ୟ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଚିଲିକା ଉପରେ ମଧ୍ୟ ନବୀନ ପଟ୍ଟନାୟକ ସେତୁ ନିର୍ମାଣ କରିବେ । କିନ୍ତୁ ଏହି ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାରର ପରିବେଶ ବିଭାଗର ଅନୁମତି ଆବଶ୍ୟକ । କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ମିଳୁନି । ଗତ ନିର୍ବାଚନରେ ଏହି ଅଞ୍ଚଳରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ ମଧ୍ୟ ଚିଲିକା ଉପରେ ସେତୁଟିଏ କରିବାକୁ ପ୍ରୟାସ କଲେ ନାହିଁ । କିନ୍ତୁ ନବୀନ କହିଛନ୍ତି, ଚିଲିକା ଉପରେ ସେତୁ ନିର୍ମାଣ ପାଇଁ ଯାହା ବି ଟଙ୍କା ଆବଶ୍ୟକ ଦିଆଯିବ କିନ୍ତୁ କେନ୍ଦ୍ର ସରକାର ପରିବେଶ ମଞ୍ଜୁରୀ ଦେବା ଆବଶ୍ୟକ ।ପରିବେଶ ମଞ୍ଜୁରୀ ମିଳିବାର ୩ ବର୍ଷ ମଧ୍ୟରେ ସେତୁ ନିର୍ମାଣ ହେବ । ଚିଲିକାର କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କୁ ବିଜେପି ଠକିଚାଲିଛି ।