ବଙ୍ଗୋମୁଣ୍ଡାରୁ ବିଜେପିକୁ ଟାର୍ଗେଟ କଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୧୨/୦୫: ଆଜି ବଙ୍ଗୋମୁଣ୍ଡାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ବଙ୍ଗୋମୁଣ୍ଡା ଜନସଭାରେ ପାଣ୍ଡିଆନ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ବଲାଙ୍ଗୀର ଆସିଥିଲେ । ଏହାପୂର୍ବରୁ ୨୦୧୯ରେ ବଲାଙ୍ଗୀର ଆସିଥିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନ ସମୟରେ ଆସି ବଡ ବଡ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାବାସୀଙ୍କ ଭୁଆଁ ବୁଲାଇବା ପାଇଁ ମାଗଣା ବିଜୁଳି କଥା କହୁଛି ବିଜେପି ।

ଓଡ଼ିଶାଗସ୍ତରେ ଆସି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଆୟୁଷ୍କାନ ଯୋଜନା କାହିଁକି ଲାଗୁ କରୁନାହାନ୍ତି ବିଜେଡି ସରକାର । ଯାହାର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି କିନ୍ତୁ ବିଏସକେୱାଇରେ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା କରିଛନ୍ତି ନବୀନ । ଆୟୁଷ୍ମାନ ଯୋଜନାରେ ଇନସ୍ୟୁରାନ୍ସ କମ୍ପାନି ଟଙ୍କା କମାଉଛନ୍ତି କିନ୍ତୁ ବିଏସକେୱାଇ ଯୋଜନାରେ ନବୀନ ହିତାଧିକାରୀଙ୍କୁ ସ୍ମାର୍ଟକାଡ ଦେଇଛନ୍ତି । ଏହି କାର୍ଡ ଏଟିଏମ କାର୍ଡ ଭଳି କାମ କରୁଛି । ତେଣୁ କେଉଁ କାର୍ଡ ଭଲ ତାହା ଜନସାଧାରଣ ସ୍ଥିର କରନ୍ତୁ ।