ଭୁବନେଶ୍ୱର,୨୮/୦୨: ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଉତ୍ତମଙ୍କୁ ମୁଖାଗ୍ନୀ ଦେଇଛନ୍ତି ପୁଅ ବାବୁସାନ୍ । ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ। ସତ୍ୟନଗର ଶ୍ମଶାନରେ ଉତ୍ତମ ମାହାନ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଛି ।ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା ।