ୟୁକ୍ରେନ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ଋଷ ୟୁକ୍ରେନର ସବୁଠୁ ବଡ ନ୍ୟୁକ୍ଲିଅର ପ୍ଲାଣ୍ଟ ଉପରେ ଆକ୍ରମଣ କରିବା ପରେ ଏହାକୁ ନିଜ କବଜାକୁ ନେଇଛି । ଏହାକୁ ନେଇ ସମଗ୍ର ୟୁରୋପରେ ହଇଚଇ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ତ୍ୱରିତ ପଦକ୍ଷେପ ନେବାକୁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ଜରୁରୀକାଳୀନ ବୈଠକ ବ୍ରିଟେନ ଡକାଇଛି । ଜେପୋରିଜିୟା ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ କୁ ନିଜ କବଜାକୁ ନେଇଛି ଋଷ ସେନା । ସୂଚନା ଅନୁସାରେ ପ୍ଲାଣ୍ଟର ୧ ନଂ ୟୁନିଟ ରିଆକ୍ଟର କମ୍ପାର୍ଟ ମେଣ୍ଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ହେଲେ ଏଠାରେ ଲାଗିଥିବା ନିଆଁକୁ ଲିଭା ଯିବା ପରେ ବିକିରଣ ସୀମା ସାମାନ୍ୟ ରହିଛି । ତେଣୁ ଆଉ କୌଣସି ଭୟ ନଥିବା କୁହାଯାଇଛି । ହେଲେ ପରମାଣୁ ରିଆକ୍ଟର ଉପରେ ଆକ୍ରମଣ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ୍ ଜନସନ୍ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ତୁରନ୍ତ ଜାତିସଂଘ ସୁରକ୍ଷା ପରିଷଦରେ ବୈଠକ ଡକାଯିବାକୁ କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ।