ଆସନ୍ତା ଜୁଲାଇ ୩୧ ସୁଦ୍ଧା ସରିବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୨/୩ : ଆସନ୍ତା ଜୁଲାଇ ୩୧ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷକୁ ଚିଠି ଲେଖାଯାଇଛି । ବାର୍ଷିକ ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଆସନ୍ତା ଜୁଲାଇ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ତଥା ବାର୍ଷିକ ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରାଯିବା ନେଇ କୁହାଯାଇଛି । ଏଥିପାଇଁ ଆବଶ୍ୟକ ପଡ଼ିଲେ ଏକ୍ସଟ୍ରା କ୍ଲାସ୍‌ କରାଯିବ । ସେହିପରି ଅନ୍ୟ ପିଜି ଓ ୟୁଜି ସେମିଷ୍ଟାର ପରୀକ୍ଷା ଆସନ୍ତା ଶିକ୍ଷା ବର୍ଷଠାରୁ ଜୁନ ସୁଦ୍ଧା ଶେଷ କରି ଫଳ ପ୍ରକାଶ କରିବାକୁ କୁହାଯାଇଛି ।