ହ୍ୟାଣ୍ଡ ଗ୍ରେନେଡ୍ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ

ନୂଆଦିଲ୍ଲୀ,୧୮/୦୭: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଅଘଟଣ ଘଟିଛି । ଏକ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହେବାରୁ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଆର୍ମି କ୍ୟାପଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ରହିଛନ୍ତି । ସୂଚନା ମୁତାବକ, ଗତକାଲି ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଏହାପରେ ହିଁ ଏହି ଅଘଟଣ ଘଟିଥିଲା । ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ ନାଇବ-ସୁବେଦାର (ଜେସିଓ) ହେଲିକପ୍ଟର ଯୋଗେ ଉଦ୍ଧାମପୁରକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରେନେଡ୍‌ ବିଷ୍ଫୋରଣ କେମିତି ହେଲା ସେନେଇ କୌଣସି ତଥ୍ୟ ମିଳିନାହଁ ।