ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଟୁଇଷ୍ଟ ଆଣିଲା ସିସିଟିଭି ଭିଡିଓ ଫୁଟେଜ୍

ଭୁବନେଶ୍ୱର, ୨୪/୯: ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ଟୁଇଷ୍ଟ ଆଣିଲା ସିସିଟିଭି ଭିଡିଓ ଫୁଟେଜ୍। ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ। ରାତି ଅଧରେ ଧର୍ମେନ୍ଦ୍ରଙ୍କ ଘର ପାଚେରୀ କେହି ଡେଉଁଥିବା ସିସିଟିଭିରେ କଏଦ୍ ହୋଇଛି। ରାତି ୧୨ଟା ୧୩ରୁ ୧୪ ମଧ୍ୟରେ ଜଣେ ବ୍ୟକ୍ତି ପାଚେରୀ ଡେଇଁଥିଲେ।

ଅନ୍ୟପଟେ ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଧର୍ମେନ୍ଦ୍ରଙ୍କ ମୋବାଇଲ କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ପରିବାର ଲୋକ ଧର୍ମେନ୍ଦ୍ରଙ୍କ ମୋବାଇଲ ପାଇନଥିବା କହୁଛନ୍ତି। ମୋବାଇଲ ତାଙ୍କ ପାଖରେ ନଥିବା ବି କହୁଛି ସ୍ଥାନୀୟ ପୋଲିସ।

ସୂଚନାଯୋଗ୍ୟ ଯେ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’।

ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।