ଟନେଲ ଦୁର୍ଘଟଣାରେ ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ,୧୪/୧୧:ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଏବେ ବି ଉଦ୍ଧାର କାମ ଜାରି ରହିଛି । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରାଯାଉଛି । ରବିବାର ମାଟି ଅତଡା ଭୁଷୁଡି ପଡିବାରୁ ନିର୍ମାଣଧିନ ଟନେଲରେ ଫସି ଯାଇଥିଲେ ଶ୍ରମିକମାନେ । ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଉତରାଖଣ୍ଡ ସରକାର । ଆଉ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜାରି ରହିଛି ପ୍ରୟାସ । ଟନେଲରୁ ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଟନେଲର ପ୍ରାୟ ୬୦ ମିଟର ଅଂଶ ଭାଙ୍ଗି ପଡିବା ଯୋଗୁଁ ଭିତରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଓଡିଆ । ଓଡିଶା ସମେତ ଉତରପ୍ରଦେଶ, ହିମାଚଳ, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡର ଶ୍ରମିକ ଅଛନ୍ତି । ସେମାନଙ୍କୁ ଗତକାଲି ଠାରୁ ପାଇପ୍ ଯୋଗେ ଅକ୍ସିଜେନ ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି । ଏଥିସହ ୱାକି ଟକି ସାହାଯ୍ୟରେ ବି ଶ୍ରମିକଙ୍କ ସହ ଆଲୋଚନା କରାଯାଉଛି । ସେପଟେ ଟନେଲ ଦୁର୍ଘଟଣାକୁ ନେଇ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।