ଦାବି ପୂରଣ ନକଲେ ୧୦ ତାରିଖରୁ ବନ୍ଦ ରହିବ ଟ୍ରକ୍ ପରିବହନ, ଏମିତି ଚେତାବନୀ ଦେଲା ଟ୍ରକ ମାଲିକ ସଂଘ

ଭୁବନେଶ୍ୱର,୪/୧୧: ନଭେମ୍ବର ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ଓ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ ନକଲେ ୧୦ ତାରିଖରୁ ବନ୍ଦ ରହିବ ଟ୍ରକ୍ ପରିବହନ । ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛି ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘ । ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ଓ ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ ସତ୍ତ୍ଵେ କୌଣସି ସୁଫଳ ମିଳିନି । ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି, ୧୦ ତାରିଖରୁ ରାଜ୍ୟରେ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।