ମାଡି ଆସୁଛି ବାତ୍ୟା ଗୁଲାବ, ବାତିଲ ହେଲା ୨୮ଟି ଟ୍ରେନ୍

ଭୁବନେଶ୍ୱର, ୨୬/୯: ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ଗଞ୍ଜାମର ଗୋପାଳପୁରଠାରୁ ୩୧୦ କିମି ଦୂରରେ ଥିବା ବେଳେ ଆନ୍ଧ୍ରର କଳିଙ୍ଗପଟନମ୍‌ଠାରୁ ୩୮୦ କିମି ଦୂରରେ ଅଛି ବାତ୍ୟା। ୬ ଘଣ୍ଟା ଧରି ୭ କିମି ବେଗରେ ଗତି କରୁଛି ବାତ୍ୟା ‘ଗୁଲାବ’ । ଆଜି ସଂଧ୍ୟା ସୁଦ୍ଧା ଗୋପାଳପୁର-କଳିଙ୍ଗପଟନମ୍‌ ମଝିରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ତେଣୁ ସାମୁଦ୍ରିକ ଝଡ଼ ‘ଗୁଲାବ’ ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ୨୮ଟି ଟ୍ରେନ୍ ବାତିଲ କରିଥିବା ବେଳେ ଆଉ ୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ ଓ ୨୭ ତାରିଖ ଦିନ ଟ୍ରେନ୍ ବାତିଲ ରହିବ ।

ସୂଚନା ଅନୁସାରେ; ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର, ଭୁବନେଶ୍ବର-ସିକନ୍ଦରାବାଦ, ଭୁବନେଶ୍ବର-ତିରୁପତୀ, ଭୁବନେଶ୍ବର-ଗୁଣୁପୁର-ଭୁବନେଶ୍ୱର, ପୁରୀ – ଚେନ୍ନାଇ-ପୁରୀ,ଗୁଣୁପୁର- ବିଶାଖାପାଟଣା-ଗୁଣୁପୁର, ଭୁବନେଶ୍ବର -ପଲାସା – ଭୁବନେଶ୍ବର, ବିଶାଖାପାଟଣା-ଟାଟା- ବିଶାଖାପାଟଣା, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା, ସମ୍ବଲପୁର – ନାଭେଦ – ସମ୍ବଲପୁର, ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା, ରାୟଗଡ଼ା-ଗୁଣ୍ଡୁର, ବେଙ୍ଗାଲୁରୁ-ଭୁବନେଶ୍ଵର ପ୍ରଶାନ୍ତି ଏକ୍ସପ୍ରେସ୍, ଯଶୋବନ୍ତପୁର ଭୁବନେଶ୍ବର ଆଦି ଟ୍ରେନ୍ ବାତିଲ କରାଯାଇଛି। ସେହିପରି ପୁରୀ-ଓଖା, ହାୱଡ଼ା-ଯଶୋବନ୍ତପୁର, ହାୱଡ଼ା-ଭାସ୍କୋଡ଼ାଗାମା, ପୁରୀ-ତିରୁପତି, ହାୱଡ଼ା-ଚେନ୍ନାଇ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ ଆଦି ଟ୍ରେନ୍‌ର ସମୟ ଏବଂ ଗତିପଥ ପରିବର୍ତ୍ତନ କରାଯାଇଛି।