ଶିମିଳିପାଳକୁ ଆସିଲା ଆଉ ଏକ ବାଘୁଣୀ, ଗତିବିଧି ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଦଳ

ଭୁବନେଶ୍ୱର,୧୫/୧୧: ଶିମିଳିପାଳକୁ ଆସିଲା ଆଉ ଏକ ବାଘୁଣୀ। ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଗତକାଲି ଆସିଛି ଦ୍ୱିତୀୟ ବାଘୁଣୀ ‘ଜିନତ୍‌’ । ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ । ମହାରାଷ୍ଟ୍ରରେ ଉକ୍ତ ବାଘୁଣୀର ନାମ ଜିନତ୍ ରଖାଯାଇଥିବା ବେଳେ ଶିମିଳିପାଳରେ ବି ସେ ସେହି ନାମରେ ପରିଚିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ ।

ଜିନତକୁ ଆଜି ସକାଳ ୯ଟାରେ ଶିମିଳିପାଳ କୋର ଏରିଆରେ ଥିବା ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡ଼ା ଯାଇଛି । ଏଥିସହ ଏକ ବିଶେଷଜ୍ଞ ଦଳ ତା’ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ଏକ ମାଇ ମହାବଳ ବାଘ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ୧୭ ଦିନ ବ୍ୟବଧାନ ପରେ ଏବେ ପୁଣି ଦ୍ଵିତୀୟ ବାଘୁଣୀକୁ ଅଣାଯାଇଛି । ‘ଯମୁନା’କୁ କୋର ଇଲାକାରେ ଛଡ଼ା ଯାଇଥିବା ବେଳେ ସେ ସୁସ୍ଥ ଅଛି ଏବଂ ଶିମିଳିପାଳର ବିଭିନ୍ନ ଇଲାକାରେ ବିଚରଣ କରୁଥିବା କୁହାଯାଇଛି।