ଭୁବନେଶ୍ୱର, ୧୯/୦୪: ଆଗାମୀ ୬ ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲା । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଘଡ଼ଘଡ଼ି, କୁଆପଥର ସହ ଝଟକା ପବନ ( ୫୦-୬୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ।