ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ

କଟକ,୧୧/୦୬: ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ । ତେବେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ମିଳିଛି । ଏନେଇ ଦର୍ଶକଙ୍କୁ ଦିଆଯାଇଥିବା ଟିକେଟ୍ ରେ ମଧ୍ୟ ଉଲ୍ଲେଖ ରହିଛି ।

ସେହିପରି ଖେଳ ଦେଖିବାକୁ ବାରବାଟୀ ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସାଙ୍ଗରେ ପାଣିବୋତଲ ନେବାକୁ କୁହାଯାଇଛି । କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ ନକରିବାକୁ କୁହାଯାଇଛି ।