ନୂଆଦିଲ୍ଲୀ,୧୮/୧୦: ଦେଶରେ ହେଉଥିବା ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ଏହି ପ୍ରସଙ୍ଗକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ ଗାଇଡଲାଇନ୍ ଜାରି କରିଛନ୍ତି।ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବାଲ୍ୟ ବିବାହକୁ ନେଇ ଦୃଢ଼ ମନ୍ତବ୍ୟ ଦେଇ କହିଛନ୍ତି ଯେ ବ୍ୟକ୍ତିଗତ ବିବାହ ଆଇନ ଜରିଆରେ ଶିଶୁ ବିବାହ ନିଷେଧ ଆଇନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ସହ ଜଡ଼ିତ ବିବାହ ହେଉଛି ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ସ୍ୱତନ୍ତ୍ର ଇଚ୍ଛାଶକ୍ତିର ଉଲ୍ଲଂଘନ। ଏହାଦ୍ୱାରା ସେମାନଙ୍କ ପସନ୍ଦର ଜୀବନ ସାଥୀ ବାଛିବା ବିକଳ୍ପ ଶେଷ ହୋଇଯାଏ।
କୋର୍ଟ ଆହୁରି କହିଛନ୍ତି, ଦଣ୍ଡ ଏବଂ ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ନିଷେଧ ତଥା ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍। ବାଲ୍ୟ ବିବାହ ନିଷେଧ ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଆମେ ବିଭିନ୍ନ ନିର୍ଦ୍ଦେଶ ଦେଇଛୁ। ବାଲ୍ୟ ବିବାହ ରୋକିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ପଛୁଆ ବର୍ଗ, ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଝିଅମାନଙ୍କର କାଉନସଲିଂ କରିବା। ଏକ ବୃହତ ସାମାଜିକ ଢ଼ାଞ୍ଚାରୁ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ସିଜେଆଇ କହିଛନ୍ତି।