ହିଜାବ ବିବାଦ ମାମଲା: ଜରୁରୀକାଳୀନ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧/୨: ହିଜାବ ବିବାଦ ମାମଲାରେ ଦାଏର କରାଯାଇଥିବା ପିଟିସନ୍‌ର ଜରୁରୀକାଳୀନ ଶୁଣାଣି ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ମାମଲା ଥିବାରୁ ଶୁଣାଣି ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବିରୋଧରେ ଆବେଦନ ହୋଇଥିଲା । ସୂଚାନଯୋଗ୍ୟ ଯେ ପରବର୍ତ୍ତୀ ଶୁଣାଣି ଯାଏଁ ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଗଠନ ହୋଇଥିବା ଖଣ୍ଡପୀଠ କହିଛନ୍ତି ଯେ ସବୁ ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି । ଏହାସହ ସମସ୍ତଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା କଥା କହିଛନ୍ତି । ଅନ୍ୟପଟେ ମାମଲାର ପ୍ରାସଙ୍ଗିକତା ଭିତରକୁ ଯାଆନ୍ତୁ ନାହିଁ ଓ ସମୟ ଆସିଲେ ମାମଲାର ଶୁଣାଣି ହେବ ବୋଲି କୁହାଯାଇଛି । ପିଟିସନ୍‌ରେ ଉଲ୍ଲେଖ ଅଛି ଯେ ଫେବ୍ରୁଆରି ୧୫ରୁ ‘ପ୍ରାକ୍ଟିକାଲ୍‌’ ପରୀକ୍ଷା ଆରମ୍ଭ ହେବ। ମୁସଲ୍‌ମାନ ଝିଅମାନଙ୍କୁ ହିଜାବ୍‌ ପିନ୍ଧିବା ଅଧିକାରରୁ ବଞ୍ଚିତ କରିବାଦ୍ୱାରା ସେମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିବ। ତେଣୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିବା ସହ ହିଜାବ୍‌ ମାମଲାରେ ସାମୟିକ ଆଶ୍ଵସ୍ତି ଦେବା ପାଇଁ ଅନୁରୋଧ କରାଯାଇଛି ।