ଜାହାଙ୍ଗୀରପୁରୀରେ ଜବରଦଖଲ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦/୪: ଦିଲ୍ଲୀ ଏମସିଡି ଜାହାଙ୍ଗୀରପୁରରେ ଅବୈଧ ଘର, ଦୋକନ ବଜାର ଆଦି ଭାଙ୍ଗୁଥିଲା । ସୁପ୍ରିମକୋର୍ଟ ଏବେ ଏହି ଘର ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆସନ୍ତାକାଲି ମଧ୍ୟ ଶୁଣାଣି ହେବ ।ଏହାରି ଭିତରେ ଅବୈଧ ଘରକୁ ଦିଲ୍ଲୀ ମହାନଗର ନିଗମର ମେୟର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ସକାଳୁ ସକାଳୁ ୯ଟି ବୁଲଡୋଜର ଆସି ସମସ୍ତ ବେଆଇନ ଘରକୁ ଭାଙ୍ଗୁଥିଲା । ନିକଟରେ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ବୁଲଡଜର ଦ୍ୱାରା ଅବୈଧ ଘର ଭଙ୍ଗାଯିବା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ଆଜି କିନ୍ତୁ ଦିଲ୍ଲୀ ଘଟଣାରେ ତ୍ୱରିତ ଶୁଣାଣି କରି ସୁପ୍ରିମକୋର୍ଟ ଉଚ୍ଚେଦ ଉପରେ ରୋକ୍ ଲଗାଇଛନ୍ତି । ଦିଲ୍ଲୀରେ କିନ୍ତୁ ପ୍ରଶାସନ ବୁଲଡୋଜର ବୁଲାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସନ୍ଦେହ କରାଯାଉଛି । ସେହିପରି ସୁପ୍ରିମକୋର୍ଟ ଘର ଭଙ୍ଗା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବି କିନ୍ତୁ ବୁଲଡୋଜର ଘର ଭାଙ୍ଗୁଥିଲା । ଏନେଇ ପ୍ରଶାସନ ସଫେଇ ଦେଇଥିଲା ତାଙ୍କ ପାଖରେ ସେମିତି କୌଣସି ନିର୍ଦ୍ଦେଶନାମା କୋର୍ଟଙ୍କର ପହଂଚି ନାହିଁ । ପରେ କୋର୍ଟଙ୍କ ଅର୍ଡର ପହଂଚିବା ପରେ ପ୍ରଶାସନ ଉଚ୍ଛେଦ ଉପରେ ରୋକ୍ ଲଗାଇଛି ।