ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭/୧୦: ସମଲିଙ୍ଗୀ ବିବାହ ବିବାଦ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଳ୍ଲେଖଯୋଗ୍ୟ, ଅନେକ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଅନେକ ଦେଶରେ ଏହାକୁ ଅପରାଧ ବର୍ଗରେ ରଖାଯାଉଛି। ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ। ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ।