ଆସୁଛି ମହାବାତ୍ୟା ସିତରଙ୍ଗ !

ଭୁବନେଶ୍ୱର,୧୨/୧୦: ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଏନେଇ କୌଣସି ସୂଚନା ଏଯାଏଁ ଜାରି କରିନାହିଁ।

ଆମେରିକା ପାଣିପାଗ ବିଭାଗ ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି। ଆସୁଥିବା ଏହି ବାତ୍ୟାର ନାମ ‘ସିତାରଙ୍ଗ’ ରଖାଯାଇଛି । ଆନ୍ଧ୍ର- ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ମହାବାତ୍ୟା ହେଲେ ଘଣ୍ଟା ପ୍ରତି ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

ତେବେ ସବୁଠୁ ବଡ଼ କଥା ହେଉଛି ବାତ୍ୟା ସମୟରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାରୁତୁର ମୁକାବିଲା ପାଇଁ ହୋଇଥିଲା ପ୍ରସ୍ତୁତି ବୈଠକ । ବାତ୍ୟାଋତୁ ପାଇଁ ପ୍ରସ୍ତୁତି ରହିବାକୁ ବିଭାଗ ଗୁଡ଼ିକୁ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।