ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ୱର,୨୯/୦୬: ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥାରୂଢ ମହାପ୍ରଭୁଙ୍କ ସୁନାବେଶ ହୋଇଥାଏ। ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ।

ଆଜି ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦର୍ଶନ ଦେବେ। ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ହେବେ ଆଭୂଷିତ।

ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି।