ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜୀଉ

ପୁରୀ, ୨୧/୭: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଓ କୋଭିଡ କଟକଣା ରେ ମହାପ୍ରଭୁଙ୍କ ସୁନାବେଶ ହୋଇଛି। ତେଣୁ ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।  ଚଳିତବର୍ଷ ସୁନାବେଶରେ କିରିଟି ଗୁଡିକ ନୂଆ କରାଯାଇଛି ।  ଦୁଇ ମହଣ ସୁନା ଅଳଙ୍କାରରେ ସଜେଇ ହୋଇଛନ୍ତି ଶ୍ରୀଜୀଉ ।

 

ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦିରେ ବେଶ କରାଯାଇଥିଲା । ସେହିପରି ଦେବୀ ସୁଭଦ୍ରା କିରିଟି, ଓଡିଆଣି, କାନ, ତଗଡି, ସେବତୀ ମାଳି, ଘାଗଡା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି ।  ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ସୁନାଅଳଙ୍କାର ସହ ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡଚଢାଉ ବେଶରେ ଦର୍ଶନ ଦେଇଛନ୍ତି ।