ସୁମିତ ଓ ତପସ୍ୱିନୀ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର

ଭୁବନେଶ୍ୱର,୯/୪: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ମଧ୍ୟରେ ବିବାଦ ଏବେବି ଥମିନି । ଆଜି ମଧ୍ୟସ୍ଥତା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଦୁହେଁ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଯେଉଁ ସମସ୍ୟା ରହିଛି, ମଧ୍ୟସ୍ଥତା କେନ୍ଦ୍ରରେ ତାହା ସମଧାନ କରିବାକୁ ଚେଷ୍ଟା କରାଯିବ। ଅଧିକ ସମୟ ଧରି ମିଡିଏସନ୍ ଅଧିକାରୀ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରିଥିଲେ। ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ସୁମିତ ମାସିକ ୧୭ହଜାର ଟଙ୍କା ଦେବେ ବୋଲି ତଳ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଏହାକୁ ଚାଲେଞ୍ଜ କରି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟ ୧୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ପୂର୍ବରୁ ସୁମିତ ନେଇଥିବା ଭଡ଼ାଘରର ଏକ ଭିଡିଓ ପ୍ରସ୍ତୁତ କରିବାକୁ ମଧ୍ୟ ଉଭୟଙ୍କୁ କୁହାଯାଇଥିଲା। ସେହି ଘରଟି ରହିବା ଯୋଗ୍ୟ କି ନୁହେଁ, ତାହା କୋର୍ଟକୁ ଜଣାଇବେ ଉଭୟ ପତିପତ୍ନୀ। ସେହପରି ସୁମିତ ସରକାରୀ କ୍ୱାଟର ପାଇଛନ୍ତି କି ନାହିଁ, ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।