ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର,୨୧/୧୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ । ରାଜ୍ୟ ସରକାର ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନା ଦେବା ନେଇ ଘୋଷଣା କରିଛନ୍ତି । ଏଥିସହ ଆସନ୍ତା ୨୪ରେ ତୃତୀୟ କିସ୍ତି ମିଳିବା ବେଳେ ଡିସେମ୍ବରରେ ମିଳିବ ଚତୁର୍ଥ କିସ୍ତି ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜାନର ପ୍ରଥମ କିସ୍ତିର ଟଙ୍କା ୨୫ଲକ୍ଷରୁ ଅଧିକ ମହିଳା ପାଇଥିବା ବେଳେ ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା । କିନ୍ତୁ ଏ ଯାବତ ୧ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରିଥିବାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି । ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ ହିତାଧିକାରୀ ରିଜେକ୍ଟ ହୋଇଥିବା ବେଳେ ସୁଭଦ୍ରା ଯୋଜନା ନିୟମରେ ସଂଶୋଧନ ଆଣି କେମିତି ଅଧିକ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର ଧ୍ୟାନ ଦେଇଛନ୍ତି । ଅନ୍ୟପଟରେ ଯେଉଁ ମହିଳା ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ କିଛି ରିଜେକ୍ଟ ହୋଇଥିବା ମହିଳା ମାନେ ସରକାରଙ୍କ ଉପରେ ଆକ୍ଷେପ ଆଣିଛନ୍ତି । ଏଥିସହ ଆବେଦନର ସବୁ କାରଣ ଥାଇ ମଧ୍ୟ କାହିଁକି ଖାରଜ ହୋଇଛି ତାହାର କାରଣ ଜାଣିପାରିନାହାନ୍ତି ।