ରାଜ୍ୟରେ ଏବେ କରୋନା ସ୍ଥିତିକୁ ନେଇ କଣ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ?

ଭୁବନେଶ୍ୱର, ୧୬/୯: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ହୁ’ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଯେ ଭାରତରେ ମହାମାରୀ ଏଣ୍ଡେମିକ୍ ଆଡ଼କୁ ଯାଉଛି। କିନ୍ତୁ ଶତ ପ୍ରତିଶତ ନିଶ୍ଚିତ ନହେଲେ ମଧ୍ୟ ହୁ’ର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ସେହିପରି ଏହି କ୍ଷେତ୍ରରେ ବି ହୋଇପାରେ, ତେଣୁ ଆଶ୍ବସ୍ତ ହେବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଖାନା ଆସିବା ନିହାତି ଆବଶ୍ୟକ ।

ଅନ୍ୟପଟେ ସେ ଉଦାହରଣ ରେ କହିଛନ୍ତି ଯେ କେରଳରେ କରୋନା ସଂକ୍ରମଣ ବଢିବଢି ଚାଲିଥିଲା, ଏବେ କମୁଛି। ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ। ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ। ଆମ ରାଜ୍ୟରେ କେବେ ବି ବଢି ପାରେ ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ। ଯଦିଓ ଆମେ ଭଲ ସ୍ଥିତିରେ ଅଛୁ। ଆମର ପଜିଟିଭିଟି ରେଟ୍ କମ୍ ଅଛି। ହସପିଟାଲାଇଜେସନ ହାର ବି କମ୍ ଅଛି। କିନ୍ତୁ ବିପଦ ଏବେ ବି ଟଳିନି ବୋଲି ସେ କହିଛନ୍ତି । କୋଭିଡି କଟକଣା ମାନିବା ସହ ନିଜ ଦାୟିତ୍ବ ନିଜେ ନିଅନ୍ତୁ ବୋଲି ସେ କହିଛନ୍ତି ।