ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର,୩୦/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଓଡିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି-୨୦୨୨ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ନୀତି ଓଡିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ । ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରଖାଯାଇଛି ।

ସେହିପରି ଓଡିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମାବଳୀ-୨୦୨୨ କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ବାରା କରାଯିବ । ଓଡିଆ ଚଳଚ୍ଚିତ୍ର ‘ଦମନ’କୁ ଟିକସମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟ ଦ୍ବାରା ଅନୁମୋଦନ ମିଳିଛି ।