ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ୩୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୧୮/୫: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାସହ ୩୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ବାରଙ୍ଗରେ ହେବାକୁ ଥିବା ଟାଟା ପାୱାର ପ୍ଲାଣ୍ଟ ବାତିଲ୍ ହୋଇଛି। ୮୭୧ ଏକର ଜମି ଟାଟାଠୁ ଫେରାଇ ଅଣାଯିବ। ଏକାଧିକ ନିଯୁକ୍ତି ଯୋଜନାରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଅନ୍ୟପକ୍ଷରେ ଅନୁଗୁଳରେ ଆଲୁମିନିୟମ୍ ପାର୍କ ହେବ। ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନାରେ ହେବ ୧ ଲକ୍ଷ ଡିପ୍ ବୋର୍‌ୱେଲ୍ । ୪ ହଜାର ୧୯୮.୧୬ କୋଟି ବ୍ୟୟରେ ହେବ ଡିପ୍ ବୋରୱେଲ୍ । ୨୬ଟି ଜିଲ୍ଲାର ୨୫୬ଟି ବ୍ଳକରେ କାର୍ଯ୍ୟକାରୀ ହେବ ଏହି ଯୋଜନା । ୧ ଲକ୍ଷ ଚାଷୀ ଏହି ଯୋଜନା ଦ୍ବାରା  ଉପକୃତ ହେବେ।

ମିଶନ ଶକ୍ତି ପାଇଁ ବଡ଼ ଘୋଷଣା ହୋଇଛି। ରାଜ୍ୟରେ ଆହୁରି ଅଧିକ ସୁଦୃଢ଼ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତି ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ଓ ସହରୀ ୱାର୍ଡରେ ମିଶନ ଶକ୍ତି ଗୃହ ରହିବ। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୫୦ ହଜାର କୋଟି ଟଙ୍କାର ଋଣ । ସରକାରଙ୍କ ପକ୍ଷରୁ ୬ ହଜାର ୬ ଶହ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ । ରାଜ୍ୟର ୫୦୦ଟି ସ୍ଥାନରେ ସ୍ଥାପନ ହେବ ମିଶନ ଶକ୍ତି ବଜାର ଓ ଆଉଟ୍‌ ଲେଟ୍।

ପାଣ୍ଡରାରେ ନିର୍ମାଣ ଆନିକଟ ହୋଇ ଭୁବନେଶ୍ବରକୁ ଯୋଗାଇବ ପାଣି । ୧୨୮ କୋଟି ବିନିମୟରେ ପାଣ୍ଡରାରେ ହେବ ଆନିକଟ । ଆସନ୍ତା ଦୁଇ ବର୍ଷରେ ଶେଷ ହେବ କାର୍ଯ୍ୟ ଭୁବନେଶ୍ବର ଓ ବାଲିଅନ୍ତା ତହସିଲର ଲୋକେ ଉପକୃତ ହେବେ।