ଆଉ କେଇ ଘଣ୍ଟାର ଅପେକ୍ଷା, ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ୱର,୧୭/୦୧: ଆଉ କେଇ ଘଣ୍ଟାର ଅପେକ୍ଷା। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ଏଥିପାଇଁ ଭବ୍ୟ ଆୟୋଜନ ହୋଇଛି। ଲୋକାର୍ପଣ ପୂର୍ବରୁ ରଙ୍ଗୀନ ଆଲୋକମାଳା ଓ ଅନ୍ୟାନ୍ୟ ସାଜସଜାରେ ଝଟକୁଛି ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସିଂହଦ୍ବାରରେ ରଙ୍ଗବେରଙ୍ଗର ପାରମ୍ପରିକ ଝୋଟି କଳା ବି ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁନରୁଦ୍ଧାର ହୋଇଥିବା ମଠ, ମନ୍ଦିରକୁ ବି ଆଲୋକମାଳାରେ ସଜାଯାଇଛି। ଫଳର ମଠ, ମନ୍ଦିରର କାରୁକାର୍ଯ୍ୟ ଫୁଟି ବାହାରୁଛି। ସେପଟେ ଆଜି ପୁଣି ଶ୍ରୀମନ୍ଦିରର ଚାରିଦ୍ବାରରେ ଫୁଲର ବ୍ୟାପକ ସାଜସଜା କରାଯାଇଛି। ମଠ, ମନ୍ଦିରକୁ ବି ଫୁଲରେ ପୁଣି ସଜାଯାଇଛି। ଚାରିଦ୍ବାରେ ରଙ୍ଗବେରଙ୍ଗ ଫୁଲକୁଣ୍ଡରେ ସଜ୍ଜିତ କରାଯାଇଛି। ଏହା ସାଙ୍ଗକୁ ସବୁଜ ବଳୟ ମନରେ ଆଧ୍ୟାତ୍ମିକତା ସୃଷ୍ଟି କରିଛି । ଆଜି ବି ମହାଯଜ୍ଞ ସାଙ୍ଗକୁ ବେଦପାଠୀଙ୍କ ବେଦପାଠ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଝାଞ୍ଜ, ସଂକୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ । ଯଜ୍ଞ ଆହୂତି ସହ ବେଦମନ୍ତ୍ର ବିଶ୍ବ ମଙ୍ଗଳ କାମନା କରିଛନ୍ତି ବରଣୀୟ ବ୍ରାହ୍ମଣ।