ଭୁବନେଶ୍ୱର,୧୯/୧୨: ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗୁ ହେବ ନୂଆ ଡ୍ରେସ୍କୋଡ୍ ବ୍ୟବସ୍ଥା । ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ଏଥର ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ କିମ୍ବା ସହାୟତା କରିପାରିବେ । ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତି କ୍ରମେ ସୁଆର ମହାସୁଆର ନିଯୋଗ ଆନନ୍ଦବଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିଛି । ଯେଉଁ ସହାୟକମାନେ ରହିଛନ୍ତି, ସେମାନେ ଆସନ୍ତା ୨୫ ତାରିଖ ଠାରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିବେ । ସେପଟେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।