ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ

ଭୁବନେଶ୍ୱର,୧/୧୦: ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସ୍ଥିର ହୋଇଛି। କାର୍ତ୍ତିକ ମାସରେ ରାଈଦାମୋଦର ବ୍ରତ ବା ହବିଷ୍ୟାଳି ବ୍ରତ ପାଳନ ପାଇଁ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିବେ। ଏଣୁ କାର୍ତ୍ତିକ ନୀତିକାନ୍ତି ଓ ହବିଷ୍ୟାଳିଙ୍କ ରହଣିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏ ବର୍ଷ ଅଢ଼େଇ ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରାଯିବ। ଯେଉଁମାନେ ପୂର୍ବରୁ ହବିଷ୍ୟାଳି ଯୋଜନାରେ ସାମିଲ୍‌ ହୋଇନାହାନ୍ତି, ସେମାନଙ୍କୁ ଏଥର ଅଗ୍ରାଧିକାର ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave a Reply

Your email address will not be published. Required fields are marked *