ଶ୍ରୀମନ୍ଦିରର ଗୁପ୍ତ ସୁଡ଼ଙ୍ଗ, କୋଠରି ଆଦିର ଅନୁଧ୍ୟାନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

ପୁରୀ,୨୫/୦୮: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ସହ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପରେ ଗୁପ୍ତ ସୁଡ଼ଙ୍ଗ, କୋଠରି ଆଦିର ଅନୁଧ୍ୟାନ କରାଯିବ। ବହୁଦିନରୁ ଭକ୍ତଙ୍କ ମନରେ ସନ୍ଦେହ ରହିଛି କି ବାହାର ଓ ଭିତର ରତ୍ନଭଣ୍ଡାର ବାଦ ଆଉ ଏକ ଭଣ୍ଡାର ଘର ଅଛି। ଯେଉଁ ଭଣ୍ଡାରକୁ କେହି ଯାଇନାହାନ୍ତି ଏବଂ ସେଠାରେ ବହୁ ପରିମାଣର ଅଳଙ୍କାର ଗଚ୍ଛିତ ରହିଛି। ଏହି ସନ୍ଦେହ ଦୂର ପାଇଁ ଗୁପ୍ତ ସୁଡ଼ଙ୍ଗ ଓ କୋଠରି ଖୋଜାଯିବ। ଏଥିପାଇଁ ରତ୍ନଭଣ୍ଡାରର ଜିପିଆର୍‌ ସର୍ଭେ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏ ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ତୁରନ୍ତ ସର୍ଭେ କାମ ସାରିବାକୁ ଅନୁରୋଧ କରିଛନ୍ତି।