ଆସନ୍ତା ୧୪ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!

ଭୁବନେଶ୍ୱର, ୯/୦୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଦ୍ୱିତୀୟ ବୈଠକ ଶେଷ ହୋଇଛି। ଏହାପରେ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି ଯେ ଯେଉଁ ଚାବି ଥାଉ…କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ। ତାଙ୍କ କହିବା ମୁତାବକ, ଆସନ୍ତା ୧୪ ତାରିଖରେ ଯେକୌଣସି ଉପାୟରେ ହେଉନା କାହିଁକି ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହେଇଛି ।ତେବେ ରତ୍ନଭଣ୍ଡାର ତଦାରଖ କମିଟି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁରୋଧ କରିବ । ସରକାର ଏନେଇ ନିଷ୍ପତ୍ତି ନେବା ପରେ ହିଁ, ରତ୍ନଭଣ୍ଡାର ଖୋଲିପାରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରତ୍ନଭଣ୍ଡାର ଖୋଲି ଏହାର କାମ ହେଲେ, ଭକ୍ତଙ୍କ ଦର୍ଶନରେ କୌଣସି ବାଧା ଯେପରି ସୃଷ୍ଟି ହେବନି, ସେନେଇ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ଭକ୍ତମାନେ ସାମାନ୍ୟ ଦୂରରୁ ରହି ଦର୍ଶନ କରିପାରିବେ । ଏଥିସହ ରତ୍ନଭଣ୍ଡାର ଖୋଲିବା ନେଇ ଭକ୍ତଙ୍କ ସହଯୋଗ ଲୋଡିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ।