ରାତି ଗୋଟାଏରୁ ଜଗା ଦର୍ଶନ କରିପାରିବେ ଭକ୍ତ

ଭୁବନେଶ୍ୱର,୩୦/୧୨: ଆସନ୍ତାକାଲି ଇଂରାଜୀ ନବବର୍ଷ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଆଜି ରାତି ଗୋଟାଏରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତକାଲି ମଧ୍ୟ ଭକ୍ତଙ୍କ ପାଇଁ ରାତି ୨ଟାରୁ ମନ୍ଦିର ଖୋଲା ରହିଥିଲା । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଏହାସହ ପୁରୀ ସହର କଡ଼ା ସୁରକ୍ଷା ମଧ୍ୟରେ ରହିଛି । ନୂଆବର୍ଷରେ ପୁରୀରେ ୪ରୁ ୫ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରାଯାଉଛି । ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।

ସେପଟେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ କଟକଣା । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ହିଁ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ । ଏହା ପୂର୍ବରୁ ବାରଣ ଥିବା ଡ୍ରେସ୍ ପିନ୍ଧି ଆସିଥିବା ଭକ୍ତଙ୍କୁ ଧୋତି ପିନ୍ଧା ଯାଇ ଭିତରକୁ ଛଡାଯାଉଛି ।  ଏହା ସହ ପାନ, ଗୁଟଖା ଉପରେ ମଧ୍ୟ କଟକଣା ଲାଗୁ କରାଯିବ ।