ପଞ୍ଚୁକରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ,୨/୧୧: ଆଉ ଦୁଇଦିନ ପରେ ପଞ୍ଚୁକ। ଏହି ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ଭାବେ ବିବେଚନା କରାଯାଏ। ସେପଟେ ଶ୍ରୀଜିଉ ବି ଏହି ୫ ଦିନ ୫ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ପଞ୍ଚୁକରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲ‌ାଗେ। କୋଭିଡ୍‌ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିଲେ। କିନ୍ତୁ ଚଳିତବର୍ଷ ପଞ୍ଚୁକରେ କୋଭିଡ୍‌ଜନିତ କଟକଣା ନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।