ଧାମରାଠାରୁ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ: ଏସଆରସି

ଭୁବନେଶ୍ୱର,୨୧/୧୦:  ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତ ୨୦ ତାରିଖରେ ଲଘୁଚାପ କେନ୍ଦ୍ରରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବ ଏବଂ ୨୩ ତାରିଖ ସୁଦ୍ଧା ତୀବ୍ର ଅବପାତ ରୂପ ନେବ। ୨୪ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଓଡ଼ିଶା ଉପୂକଳ ଦେଇ ଏହା ଗତି କରି ୨୫ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳ ଭାଗ ଛୁଇଁବ।

ଏସ୍‌ଆରସି ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓଡ଼ିଶାର ଧାମରାଠାରୁ ଉପରେ ଦକ୍ଷିଣ-ପୂର୍ବ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ। ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି ଅଞ୍ଚଳରେ ଘଣ୍ଟା ପିଛା ୫୦ କିମି ବେଗରେ ପବନ ବୋହିପାରେ। ଏହାର ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି।