ସମ୍ଭାବ୍ୟ ବାତ୍ୟା ନେଇ କଣ ସୂଚନା ଦେଲେ ଏସଆରସି?

ଭୁବନେଶ୍ୱର, ୬/୫: ସମ୍ଭାବ୍ୟ ବାତ୍ୟା ନେଇ ସାମ୍ବାଦିକ ସମ୍ମିଳନୀରେ ଜରୁରୀ ସୂଚନା ପ୍ରଦାନ କରିଛନ୍ତି ଏସଆରସି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ୧୦ ତାରିଖରେ ଉପକୂଳ ଠାରୁ ୨୫୦ କିମି ଦୂରରେ ଥିବ । ଆସନ୍ତାକାଲି ଏନେଇ ସ୍ପଷ୍ଟ ସୂଚନା ମିଳିବ । ଅନ୍ୟପକ୍ଷେ ୧୦ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ହୋଇପାରେ ବୋଲି ଏସ୍ଆର୍‌ସି କହିଛନ୍ତି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଘରକୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେଇପାରେ । ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ, ଆଗାମୀ ଦିନରେ ଏହା କେଉଁ ଆଡକୁ ଗତି କରିବ ସେନେଇ ସ୍ପଷ୍ଟ ଚିତ୍ର ମିଳିନି ବୋଲି ସେ କହିଛନ୍ତି । ଏଥିସହିତ ୧୦ ତାରିଖ ସୁଦ୍ଧା ଏହା ଉପକୂଳଠାରୁ ୨୫୦ କିମିରୁ ୩୦୦ କିମି ଦୂରରେ ରହିପାରେ ଏସଆରସି ସୂଚନା ଦେଇଛନ୍ତି ।

ଅନ୍ୟପଟେ ବାତ୍ୟାର ଦିଗ କେଉଁ ଆଡକୁ ରହିବ, ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଆସନ୍ତାକାଲି ଏହି ଲଘୁଚାପ ଅବପାତର ରୂପ ନେବା ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ସମସ୍ତ ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ୧୭ଟି ଏନଡିଆରଏଫ୍ , ୨୦ଟି ଓଡ୍ରାଫ୍ , ୧୭୫ଟି ଅଗ୍ନିଶମ ବାହିନୀ ଦଳ ଆସନ୍ତାକାଲି ନିୟୋଜିତ ହେବେ ବୋଲି ଏସଆରସି ସୂଚନା ଦେଇଛନ୍ତି । ତେବେ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା କିଛିଦିନ ସମୁଦ୍ର ଅଶାନ୍ତ ମଧ୍ୟ ରହିବ ।