ବାତ୍ୟା ହେବ ନାହିଁ କିନ୍ତୁ ପ୍ରସ୍ତୁତ ଅଛୁ : ଏସଆରସି

ଭୁବନେଶ୍ବର,୧୯/୮: ରାଜ୍ୟରେ ଲଘୁଚାପର ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ସେ କହିଛନ୍ତି ଯେ ଗଭୀର ଅବପାତର ରୂପ ନେଇ ଆଗାମୀ ୭-୮ ଘଣ୍ଟା ଭିତରେ ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନ ବହିବ। ତେଣୁ ଏନେଇ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତାକାଲି ୪ଟି ଜିଲ୍ଲାରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ। ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା ରହିଛି। ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ। କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳସ୍ତର କମାଯାଉଛି। ଗତକାଲି ଠାରୁ ୩ ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି। ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି। ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍ ଓ ଏନଡିଆରଏଫ ନିୟୋଜିତ କରାଯିବ। ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ। ବାତ୍ୟା ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଜି ଏବଂ ଆସନ୍ତାକାଲି ବାଲେଶ୍ଵର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।