ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର, ପ୍ରମୁଖ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ଼

ଭୁବନେଶ୍ୱର,୨୯/୦୭: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ଼। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ, ପୁରୀର ମହାପ୍ରଭୁ ଲୋକନାଥ, ଢେଙ୍କାନାଳର କପିଳାସ, ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ କୋଟି ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି । ସେଇଥି ପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତି ନୀତି ପାଳନ କରିଥାନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଲେବାବାଙ୍କୁ ଜଳ ଲାଗି କରିଥାନ୍ତି । ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।