ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର

ନୂଆଦିଲ୍ଲୀ,୨୫/୨: ୟୁକ୍ରେନ ଓ ଋଷ ମଧ୍ୟରେ ଦୁଇଦିନ ହେଲା ଚାଲିଛି ଘମାଘୋଟ ଲଢେଇ । ଏହାରି ମଧ୍ୟରେ ୟୁକ୍ରେନରେ ବହୁ ଓଡ଼ିଆ ଫସି ରହିଛନ୍ତି । ଫସିଥିବା ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ଖୋଲିଛନ୍ତି । ଏହା ଦିଲ୍ଲୀ ଓଡ଼ିଶା ଭବନଠାରେ ଥିବା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଛି । ଏହି ସହାୟତା କେନ୍ଦ୍ର ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଅନ୍ୟ ସମସ୍ତ ସଂପର୍କିତ ଏଜେନ୍ସିମାନଙ୍କ ସହ ସମନ୍ୱୟ ରକ୍ଷା କରିବ । ଏଥିପାଇଁ ଆବାସିକ କମିଶନର ରବି କାନ୍ତଙ୍କୁ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ତାଙ୍କୁ ୮୫୨୭୮୫୦୨୪୫ (ମୋବାଇଲ ଓ ହ୍ଵାଟ୍ସଆପ ନମ୍ବର), ୦୧୧-୨୩୦୧୨୭୫୧ (ଲାଣ୍ଡଲାଇନ ନମ୍ବର) ଓ ଇମେଲ ଆଇଡି re.odisha@gmail.com କିମ୍ବା resem-or@nic.in ମାଧ୍ୟମରେ ଯୋଗାଯୋଗ କରିହେବ ।