ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୬/୧୧: ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମରେ ଆଜି ଚଳିତ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜିତିବା ପାଇଁ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ। ଏହି ପରାଜୟ ସହିତ ଦକ୍ଷିଣ ଆଫ୍ରିକାର ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଖେଳିବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ଅଷ୍ଟ୍ରେଲିଆ ଦଳ ଆସନ୍ତା ୧୯ ତାରିଖରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଟିମ୍‌କୁ ମୁକାବିଲା କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତ ତୃତୀୟ ଥର ବିଶ୍ବକପ୍‌ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ଅଷ୍ଟ୍ରେଲିଆ ୬ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି।