ଆରପାରିରେ ଟିକଟକ୍ ଷ୍ଟାର ସୋନାଲି ଫୋଗାଟ

ନୂଆଦିଲ୍ଲୀ,୨୩/୮: ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଅକାଳ ବିୟୋଗ ଘଟିଛି । ହୃଦଘାତରେ ସୋନାଲିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସେ ଗୋଆରେ ମୃତ୍ୟୁବରଣ କରିଛନ୍ତି । ଟିକଟକ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସେନାଲି ୨୦୧୯ରେ ବିଜେପି ଟିକେଟରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ରିଆଲିଟି ଶୋ’ ବିଗ୍ ବସ୍-୧୪ ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ ।

ବିଜେପିର ହରିୟାଣା ୟୁନିଟ୍ ସୋନାଲି ଫୋଗାଟଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବରେ ମଧ୍ୟ ନିଯୁକ୍ତ କରିଥିଲା। ସେ ଗତକାଲି ରାତିରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲର ପ୍ରୋଫାଇଲ୍ ଚିତ୍ର ମଧ୍ୟ ବଦଳାଇଥିଲେ। ସୂଚନା ଅନୁଯାୟୀ, ସୋନାଲି ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ଯାଇଥିଲେ। ସୋନାଲି ଅନେକ ପ୍ରସିଦ୍ଧ ଟିଭି ଧାରାବାହିକରେ କାମ କରିଥିଲେ । ସେ ରିଆଲିଟି ଶୋ’ ବିଗବସ୍ ର ୧୪ ତମ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।